Bikash Khabar
ପ୍ରତି ଜିଲ୍ଲାରେ ହେବ ପୁନର୍ବାସ କେନ୍ଦ୍ର

ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଶକ୍ତ ପ୍ରଭାବୀ ରୂପାୟନ ନିମନ୍ତେ ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ପ୍ରତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ସମନ୍ବିତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୋମବାର  ଲୋକସେବା ଭବନସ୍ଥିତ ତାଙ୍କ ପ୍ରକୋଷ୍ଠରେ ଏହି ସୂଚନା ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଜିଲ୍ଲାମାନଙ୍କରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ପୁନର୍ବାସ ସାମଗ୍ରୀ ଯୋଗାଇ ଦେବା ପାଇଁ ଜିଲ୍ଲା ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏଣିକି ପ୍ରତିଷ୍ଠିତ ହେବାକୁ ଥିବା ସମନ୍ବିତ ପୁନର୍ବାସ କେନ୍ଦ୍ରରେ ଜରାନିବାସ, ନିଶାନିବାରଣ କେନ୍ଦ୍ର, ଧନ୍ଦାମୂଳକ ବୈଷୟିକ ତାଲିମ ପ୍ରତିଷ୍ଠାନ ଏବଂ ମାନସିକ ଅନଗ୍ରସରମାନଙ୍କ ନିମନ୍ତେ ଆବାସ ନିର୍ମାଣ ସହିତ ଭିତ୍ତିଭୂମିକୁ ଦୃଢ କରାଯିବ। ପ୍ରତି ଜରାନିବାସରେ ପ୍ରାୟ ୨୫୦ ନାଗରିକଙ୍କ ନିମନ୍ତେ ପୁନର୍ବାସ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ପ୍ରତି ଜିଲ୍ଲାରେ ପ୍ରାୟ ୨୫ଏକର ପରିମିତ ଜମିରେ ଏହି କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି। ଭିନ୍ନକ୍ଷମମାନଙ୍କ ଚିହ୍ନଟ, ପରୀକ୍ଷା ତଥା ସୁରକ୍ଷା ସାମଗ୍ରୀ ଯୋଗାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ କ୍ଷମତା ଏକ୍ସପ୍ରେସ୍ପରି ଭ୍ରାମ୍ୟମାଣ ଶିବିରର ସୁବିଧା ହେବ। ଏହାସହ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ପାଇଁ ସରକାରୀ ସ୍ତରରେ ଉପଲବ୍ଧ ସୁବିଧାଗୁଡ଼ିକ ବାବଦରେ ଜନସଚେତନତା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

20/08/2019

Leave a Reply

Your email address will not be published. Required fields are marked *

Comments