Bikash Khabar
ଜଳ ସମସ୍ୟା ଦୂର ଲାଗି ଟୋଲ୍‌ ଫ୍ରି ନମ୍ବର

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟ ଜଳ ସମସ୍ୟା ସୃଷ୍ଟି ହେଲେ ଏହାକୁ ଦୂରକରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ସହରାଞ୍ଚଳରେ ପାନୀୟଜଳ ସମସ୍ୟା ଦେଖାଦେଲେ ଟୋଲ୍‌ ଫ୍ରି ନମ୍ବର ୧୮୦୦୩୪୫୬୭୮୩ରେ ଯୋଗାଯୋଗ କରିପାରିବେ। ସେହିଭଳି ଗ୍ରାମାଞ୍ଚାଳ ପାଇଁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ରହିଛି। ଜଳ ଯୋଗାଣ ନେଇ କୌଣସି ଆବଶ୍ୟକତା ପଡ଼ିଲେ ଏହି ନମ୍ବରରେ ଲୋକେ ଫୋନ୍‌ କରିପାରିବେ। ଏହାସହ ଜଳ ଯୋଗାଣ ପାଇଁ କଣ୍ଟ୍ରୋଲ ରୁମ୍‌ ଖୋଲିଥିବାବେଳେ ପାନୀୟ ଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ଦେଖା ନ ଦିଏ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ପାନୀୟଜଳ ଯୋଗାଣ ନେଇ ମନ୍ତ୍ରୀ ଜେନା ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଗ୍ରୀଷ୍ମଋତୁରେ ଯେଭଳି ନିରବଚ୍ଛିନ୍ନ ଜଳ ଯୋଗାଣ ଜାରି ରହିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏପ୍ରିଲ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ନଳକୂପର ମରାମତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ଭିତରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ଉପକରଣ ପ୍ରସ୍ତୁତ ଲାଗି କହିଛନ୍ତି। ସେହିଭଳି ପମ୍ପହାଉସ ଗୁଡ଼ିକରେ ଜେନେରେଟର ପ୍ରସ୍ତୁତ କରି ରଖାଯିବ। କୌଣସିଠାରେ ପାଣି ପାଇପରେ ଲିକ୍‌ ଦେଖାଦେଲେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ କୁହାଯାଇଛି।

 

16/04/2020

Leave a Reply

Your email address will not be published. Required fields are marked *

Comments