କଳାହାଣ୍ଡି କପାରେ ୪ଟି ସୂତାକଳ ଚାଲିପାରିବ , କିନ୍ତୁ ସରକାର ଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ଏହା ହୋଇପାରୁନଥିବା ବହୁ ବୁଦ୍ଧିଜୀବୀ ବିକାଶ ଖବର ର ଏକ ପ୍ରଶ୍ନର ପ୍ରତିକ୍ରିୟା ରେ ମତାମତ ଦେଇଛନ୍ତି।ଏବେ କଳହାଣ୍ଡିରେ ସୂତାକଳର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଁ ଠୁ ଆରମ୍ଭ କରି ଅନ୍ୟରାଜ୍ୟ ତଥା ବିଦେଶରେ ରହୁଥିବା ବହୁ ବୁଦ୍ଧିଜୀବୀ କେସିଙ୍ଗା ସୂତାକଳକୁ ପୁନରୁଦ୍ଧାର କରି ଟେକ୍ସଟାଇଲ ଓ କଟନ୍ ପାର୍କ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍ ମାଧ୍ୟମରେ ଦାବି କରିଛନ୍ତି। ବର୍ତ୍ତମାନ କୃଷିକ୍ଷେତ୍ରରେ ଉପୁଜିଥିବା ସଂକଟ ଏବଂ କରୋନା ଜନିତ ପ୍ରବାସୀ ଶ୍ରମିକଙ୍କ କାମଧନ୍ଦା ଯୋଗାଣକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଟୁଇଟ୍ ମାନଙ୍କରେ ଉଲ୍ଲେଖ ରହିଛି।କେସିଙ୍ଗା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ସ୍ଥାନୀୟ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଣାର୍କ ସୂତାକଳକୁ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି ଉପସ୍ଥାପନ କରିବା ସହ ସ୍ଥାନୀୟ ନେତୃବୃନ୍ଦଙ୍କୁ ଏକଜୁଟ କରିବାକୁ ଆଲୋଚନା ହୋଇଥିଲା। ଏହି ବୈଠକରେ ଅଞ୍ଚଳର ଚାଷୀ, ରାଜନେତା, ଯୁବ ସଙ୍ଗଠକ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟୀମାନେ ସାମିଲ ହୋଇ ଦଳ ମତ ନିର୍ବିଶେଷରେ ସମସ୍ତେ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଲଢ଼େଇ କରିବାର ଆହ୍ୱାନ ଦେଇଥିଲେ। ସୋମବାର ଦିନତମାମ ଏହି ପ୍ରସଙ୍ଗ ନେଇ ଜିଲ୍ଲାର ବହୁ ବୁଦ୍ଧିଜୀବୀ ନିଜ ମତାମତ ସୋସିଆଲ ମିଡିଆରେ ରଖିଛନ୍ତି। ବିଶିଷ୍ଟ ଉଦ୍ଭିଦ ବିଜ୍ଞାନର ଲେଖକ ତଥା ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ ନନ୍ଦ ବହୁ ଦିନରୁ କଳାହାଣ୍ଡିର କପା ଓ କୋଣାର୍କ ସୂତାକଳର ଭିତ୍ତିଭୂମିକୁ ଦେଖିଲେ ସରକାର ପଦକ୍ଷେପ ନେବା କଥା, ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା ପଡ଼ିରହିଥିବା କହିଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମର ସ୍ୱର ହୋଇ ପହଞ୍ଚାଇବା କଥା ପହଞ୍ଚାଉ ନାହାନ୍ତି।
30/06/2020