Bikash Khabar
ସ୍ଥିତି ସୁଧାରିବାକୁ ‘ଦେଶୀୟ ପର୍ଯ୍ୟଟନ’ ହିଁ ବିକଳ୍ପ

ମହାମାରୀ କରୋନା କେବଳ ଜନଜୀବନକୁ ଜଡ଼ କରିଦେଇନି, ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଏକଦମ ରୁଗ୍‌ଣ କରିଦେଇଛି। ରାଜ୍ୟ ଅର୍ଥନୀତିରେ ଏକ ବଡ଼ ଅଂଶ ଭାଗୀଦାରି ରଖୁଥିବା ପର୍ଯ୍ୟଟନ ଅଣ୍ଟାରେ ଶକ୍ତ ପାହାର ବସିଛି। ବିଭିନ୍ନ ଦେଶ ନିଜର ପର୍ଯ୍ୟଟନ ସ୍ଥିତିକୁ ସଜାଡ଼ିବାକୁ ଅଙ୍କକଷା ଆରମ୍ଭ କରିଦେଇଥିବା ବେଳେ ଓଡ଼ିଶାରେ ‘ଦେଶୀୟ ପର୍ଯ୍ୟଟନ’କୁ ଲକ୍ଷ୍ୟ ରଖି ଆଗକୁ ବଢ଼ିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆଗରୁ କେବେ ଏଭଳି ଦୀର୍ଘ ସମୟ ତାଲାବନ୍ଦ ହୋଇନଥିବାରୁ ଏକଥା ନିଶ୍ଚିତ ଯେକୌଣସି ପୂର୍ବ ଅଭିଜ୍ଞତାକୁ କାମରେ ଲଗା ଯାଇପାରିବ ନାହିଁ। ମାତ୍ର ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ପ୍ରଥମେ ନିଜ ଘରକୁ ସଜାଡ଼ିବା ସହ ତାକୁ ସୁନ୍ଦର ଓ ମଜଭୁତ କରିବା ଆବଶ୍ୟକ ହୋଇପଡ଼ିଛି। ରାଜ୍ୟର ଜନସାଧାରଣ ବି ବାହାର ପର୍ଯ୍ୟଟନ କ୍ଷେତ୍ର ଅପେକ୍ଷା ନିଜ ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର ବୁଲି ପ୍ରଥମେ ଘରର ଅଣ୍ଟାକୁ ସଳଖିବାର ସମୟ ଉପନୀତ ହୋଇଛି। ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ କହିଛନ୍ତି, ସାଧାରଣତଃ ବିଦେଶ ପର୍ଯ୍ୟଟନରେ ଲୋକେ ୟୁରୋପ ଯିବାକୁ ଅଗ୍ରାଧିକାର ଦିଅନ୍ତି। ମାତ୍ର ଏବେ ୟୁରୋପରେ କରୋନାର ପ୍ରଭାବ ବେଶି ଥିବାରୁ ଅନେକ ନିକଟ ଭବିଷ୍ୟତରେ ସେଠାକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରି ନପାରନ୍ତି। ଏହାକୁ ଏକ ସୁଯୋଗ ଭାବେ ନେବା ଆବଶ୍ୟକ। ‌ଆମ ରାଜ୍ୟରେ ଏବେ ବି ଏମିତି ଐତିହ୍ୟସଂପନ୍ନ ସ୍ମାରକୀ, ଐତିହାସିକ ସ୍ଥାନ, ବନ୍ୟଜୀବ ଓ ପରିବେଶ ପର୍ଯ୍ୟଟନ ରହିଛି, ଯାହା ଅନେକ ଦେଖିନାହାନ୍ତି। ତେଣୁ ଯେଉଁମାନେ ନିଜ ‌ରାଜ୍ୟ‌ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଜାଗା ବୁଲିନାହାନ୍ତି, ଅନ୍ତତଃ ସେମାନଙ୍କୁ ଦେଶୀୟ ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ସରକାର ପ୍ରଧାନ୍ୟ ଦେବା ଉଚିତ। କେରଳ ଭଳି ଆମ ରାଜ୍ୟରେ ବହୁତ ସୁନ୍ଦର ଜଙ୍ଗଲ ତଥା ପରିବେଶ ପର୍ଯ୍ୟଟନ ରହିଛି। ରାଜସ୍ଥାନ ଭଳି ବହୁ ଐତିହ୍ୟସମ୍ପନ୍ନ ଜାଗା ମଧ୍ୟ ରହିଛି। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏସବୁକୁ ବେଶି ପସନ୍ଦ କରନ୍ତି। ତେଣୁ ସରକାର ପ୍ରଥମ ପଦ‌କ୍ଷେପସ୍ବରୂପ ଦେଶୀୟ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଉନ୍ନତ ବ୍ୟବସ୍ଥା ଉପଲବ୍ଧ କରାଇ ସେସବୁକୁ ବିଜ୍ଞପିତ କରିବାକୁ ପଡ଼ିବ।


 

28/04/2020

Leave a Reply

Your email address will not be published. Required fields are marked *

Comments