Bikash Khabar
ନିଆରା ଭାଇଚାରା,ଦୁର୍ଗା ଙ୍କ ମେଢ଼ ତିଆରିରେ ଲାଗିଛନ୍ତି କଟକ ର ମୁସଲିମ ମହିଳା ସଇଦା ବିବି

  ହଜାରେ ବର୍ଷର କଟକ ସହର । ସବୁଠୁ ପୁରୁଣା ସହର ର ଦୁର୍ଗା ପୁଜା । ଜାତି ଧର୍ମ ନିର୍ବିଶେଷରେ ସହରବାସୀ ଏଥିରେ ସାମିଲ ହୋଇ ଏହି ଶାରଦୀୟ ଉତ୍ସବ କୁ ପାଳନ କରିଥାନ୍ତି । ସାରା ସହରରେ ଭିନ୍ନ ପରିବେଶ ଅନୁଭବ ହୁଏ । ବିଗତ ଅନେକ ବର୍ଷ ଧରି ସହର ର ଜଣେ ମୁସଲିମ ମହିଳା ସଇଦା ବିବି ପୂଜା ମଣ୍ଡପ କୁ ଆକର୍ଷଣୀୟ କରିବା ପାଇଁ ଯେଭଳି ଅବଦାନ ଦେଇଛନ୍ତି ତାହା ଚର୍ଚାର ବିଷୟ ।ସଇଦାଙ୍କ ଦ୍ବାରା ତିଆରି ଜରି ମେଢ଼ର ଢେର ଚାହିଦା ରହିଛି। ଦୁର୍ଗା ପୂଜା ପାଇଁ ଜରି ମେଢ଼, ରଥଯାତ୍ରାରେ ଶ୍ରୀଜିଉଙ୍କ ପାଇଁ ଜରିର ଅଳଙ୍କାର ଏବଂ ବାହାଘରରେ ବ୍ୟବହାର ହେଉଥିବା ରଥର ସାଜସଜ୍ଜା ଇତ୍ୟାଦି କାମରେ ନିଜକୁ ନିୟୋଜିତ କରିଛନ୍ତି ସେ । କଟକ ଜଗନ୍ନାଥବଲ୍ଳଭ ଅଞ୍ଚଳର ବାସିନ୍ଦା ସଇଦା ଏବେ ଏହି କାମରେ ପୁରୁଣା ମେଢ ପ୍ରସ୍ତୁତକାରୀଙ୍କୁ ବି ଟକ୍କର ଦେଉଛନ୍ତି । ସଇଦାଙ୍କ କହିବା ଅନୁଯାୟୀ, ତାଙ୍କ ମାମୁଁ ଏହି ଜରି କାମ କରୁଥିଲେ। ପିଲା ବେଳୁ ଏଥିପାଇଁ ତାଙ୍କର ଆଗ୍ରହ ରହିଥିଲା। ତେଣୁ ଏହି ଜରି କାମ ଶିଖିବା ଉପରେ ଧ୍ୟାନ ଦେଇଥିଲେ। ସେ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ମଣ୍ଡପର ଜରି କାମ ନିୟମିତ କରି ଆସୁଛନ୍ତି। ୩ ବର୍ଷ ହେବ ସ୍ବାମୀ ଜାଭିର ଖାନଙ୍କ ମୃତ୍ୟୁ‌ ପରେ ଏହି ଜରି କାମରୁ ଆସୁଥିବା ଆୟରେ ହିଁ ସେ ଦୁଇ ଝିଅଙ୍କ ଲାଳନପାଳନ କରୁଛନ୍ତି। ବର୍ଷକ ବାର ମାସ ଏହି କାମର ଚାହିଦା ଥାଏ। ଦଶହରା, ରଥଯାତ୍ରା, ବାହାଘର ସମୟରେ ଏଥିପାଇଁ ଅର୍ଡର ମି‌ଳେ। ପାର୍ବଣ ସମୟରେ ଅବଶ୍ୟ ଅଧିକ କାମ କରିବାକୁ ପଡ଼ିଥାଏ। କଟକ ଓ କଟକ ବାହାରୁ ମଧ୍ୟ ଏହି କାମ ପାଇଁ ଅର୍ଡର ଆସିଥାଏ। ପୂଜା ମଣ୍ଡପ ମାନଙ୍କ ଅର୍ଡର ଅନୁଯାୟୀ ମେଢ଼ର ଖର୍ଚ୍ଚ କମ ବେଶି ହୋଇଥାଏ। ତେଣୁ ସେହି ଅନୁଯାୟୀ ରୋଜଗାର ବି ହୋଇଥାଏ ବୋଲି କହନ୍ତି ସଇଦା।

ସଇଦା ବିବିଙ୍କ ସଂପର୍କରେ ମତ ଦେଇ ମେରିଆବଜାର କେଶରପୁର ଦୁର୍ଗା ପୂଜା କମିଟିର ସଭାପତି ବିଜୟ ମହାପାତ୍ର କହିଛନ୍ତି ଯେ, ଚଳିତବର୍ଷ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ଠାରେ ତାଙ୍କ ମଣ୍ଡପର ଜରି ମେଢ଼ ତିଆରି ପାଇଁ ଅର୍ଡର ଦିଆଯାଇଛି। ଗତବର୍ଷ ମଧ୍ୟ ସେହିଠାରେ ଜରି ମେଢ଼ ପ୍ରସ୍ତୁତ କରାଯାଇଥିଲା। ଜରି ମେଢ଼ କାରିଗର ସଇଦା ବିବିଙ୍କ କାମ ଖୁବ୍‌ ନିଆରା। ପ୍ରତିବର୍ଷ ସେ ଭିନ୍ନ ଭିନ୍ନ ଆକୃତିର ମେଢ଼ ତିଆରି କରିଥାନ୍ତି।

03/10/2019

Leave a Reply

Your email address will not be published. Required fields are marked *

Comments