Bikash Khabar
ମାଲକାନଗିରି ସୀମାନ୍ତରେ ନୂଆ ପ୍ରୟାସ,ମାଇକ୍‌ରୁ ଶୁଣି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କରୋନା ପାଇଁ ସାରାଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ। ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ନୂଆ ନୂଆ ପଦ୍ଧତିରେ ଶିକ୍ଷାଦାନ କରିବାକୁ ପ୍ରାୟାସ ଜାରି ରଖିଛନ୍ତି। ଇଣ୍ଟରନେଟ୍ ବହୁଳ ବ୍ୟବହାର ସତ୍ତ୍ବେ ଦୁର୍ଗମ ଅଞ୍ଚଳର ପିଲା ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି। ତେବେ ଏମିତି ସ୍ଥିତିର ମୁକାବିଲା ପାଇଁ ଛତିଶଗଡ଼ର ବସ୍ତର ଜିଲ୍ଲା ଭାଟପାଲ ଗାଁରେ ଆରମ୍ଭ ହୋଇଥିବା ପରୀକ୍ଷା ମୂଳକ ପଦକ୍ଷେପ ସଫଳ ହୋଇଛି। ଗୋଟିଏ ଗାଁରୁ ଆରମ୍ଭ ହୋଇଥିବା ଏହି ନୂଆ ପଦ୍ଧତି ଶିକ୍ଷାଦାନ ଏବେ ପୂରା ପଞ୍ଚାୟତରେ ଲାଗୁ କରାଯାଇଛି। ଏଥିପାଇଁ ଶିକ୍ଷା ବିଭାଗ ତଥା ପ୍ରଶାସନକୁ ବିଶେଷ କସରତ କରିବାକୁ ପଡ଼ି ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଇଛି। ସେହିପରି ଶିକ୍ଷକମାନେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଏଠାରେ ନିଭାଇଛନ୍ତି।ଭାଟପାଲ ଗାଁରେ ଗତ କିଛି ଦିନ ହେଲା ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ବିଭିନ୍ନ ଉଚ୍ଚ ସ୍ଥାନରେ ବନ୍ଧା ହୋଇଛି ମାଇକ। ଏହି ମାଇକ ନିକଟରେ ୫ରୁ ୬ଜଣ ଲେଖାଏଁ ପିଲା ଶୃଙ୍ଖଳା ରକ୍ଷା କରି ବସୁଛନ୍ତି। ଏହାପରେ ଆରମ୍ଭ ହେଉଛି ଶ୍ରେଣୀ। ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍ରୁ ପାଳି କରି ଶିକ୍ଷକାମାନେ ପଢ଼ାଉଛନ୍ତି। ଯାହାକୁ ମାଇକ ଦ୍ବାରା ପିଲାଙ୍କ ନିକଟରେ ପହଞ୍ଚା ଯାଉଛି। କେବଳ ପାଠ୍ୟକ୍ରମ ନୁହଁ କୃଷି, ସ୍ବାସ୍ଥ୍ୟ, ପାଣିପାଗ ସଂପର୍କିତ ତଥ୍ୟ ସହ ମହାପୁରୁଷଙ୍କ ଜୀବନୀ ବିଷୟରେ ବି ପିଲାଙ୍କୁ କୁହାଯାଉଛି। ଗୋଟିଏ ଗାଁରୁ ଏହି ଅଭିନବ ଶିକ୍ଷାଦାନ ପ୍ରଣାଳୀ ଆରମ୍ଭ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରିୟୋ ନାରାୟଣ କଶ୍ୟପଙ୍କ ଉଦ୍ୟମରେ ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ପଞ୍ଚାୟତରେ ଏହାକୁ ଲାଗୁ କରାଯାଇଥିଲା। ଜୁନ୍ ମାସ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇ ବର୍ତ୍ତମାନ ବି ଚାଲିଥିବା ସୂଚନା ମିଳିଛି।

07/08/2020

Leave a Reply

Your email address will not be published. Required fields are marked *

Comments