ଦାରିଦ୍ର୍ୟ ଜାଣିବା ଲାଗି ନୂଆ ଗଣନା: ପୁଷ୍ଟି, ପାନୀୟ ଜଳ, ରନ୍ଧନ ଗ୍ୟାସ ତଥ୍ୟ ସଂଗ୍ରହ କରାଯାଉଛି
ଦେଶରେ ଦାରିଦ୍ର୍ୟ କେଉଁ ସ୍ତରରେ ରହିଛି ତାହା ଜାଣିବା ଲାଗି ଏକ ଜାତୀୟ ସ୍ତରୀୟ ଗଣନା ଆରମ୍ଭ କରାଯାଇଛି। ଏଥର ନୂଆ ମାପଦଣ୍ଡ ଅନୁସାରେ ଏହି ଗଣନା କରାଯାଉଛି। ଲୋକଙ୍କ ଘରେ କେଉଁ ସବୁ ସୁବିଧା ସୁଯୋଗ ରହିଛି ତାହା ଜାଣିବା ଲାଗି ସରକାର ପ୍ରୟାସ କରୁଛନ୍ତି। ଲୋକମାନଙ୍କ ଠାରୁ ପୁଷ୍ଟିସାଧନ, ପାନୀୟ ଜଳ ଉପଲବ୍ଧତା, ବାସଗୃହ ଏବଂ ଜାଳେଣି ଇନ୍ଧନ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ଏହି ନୂତନ ଗଣନା ମାଧ୍ୟମରେ ଦେଶର ପ୍ରକୃତ ଦ୍ରାରିଦ୍ର୍ୟ ହାର ଜାଣିବାକୁ ସରକାର ଚାହୁଛନ୍ତି। ସାମାଜିକ କଲ୍ୟାଣମୂଳକ ସ୍କିମ୍ ପ୍ରସ୍ତୁତ କରିବା ଲାଗି ଏହି ହାର ଜାଣିବା ସରକାରଙ୍କ ପାଇଁ ନିହାତି ଜରୁରୀ। ଦାରିଦ୍ର୍ୟ ସ୍ତର ଜାଣିବା ଲାଗି ପୂର୍ବରୁ ‘ଦାରିଦ୍ର୍ୟ ସୀମା ରେଖା’ ହିସାବକୁ ବ୍ୟବହାର କରାଯାଉଥିଲା। ମାତ୍ର କିଛି ବର୍ଷ ତଳେ ଏହି ବ୍ୟବସ୍ଥାକୁ ସରକାର ବନ୍ଦ କରିଦେଇଥିଲେ। ତେଣୁ କେତେ ଲୋକ ଗରିବ ଏବଂ କେତେ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ଦାରିଦ୍ର୍ୟକୁ ନେଇ ସି ରଙ୍ଗରାଜନ କମିଟି ୨୦୧୪ରେ ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେଥିରେ ଉଲ୍ଲେଖ ଥିଲା ଯେ ଉଭୟ ଦାରିଦ୍ର୍ୟ ହାର ଓ ଗରିବ ଲୋକଙ୍କ ସଂଖ୍ୟା ବଢ଼ିଛି। ଏହା ପୂର୍ବରୁ ତେନ୍ଦୁଲକର କମିଟିର ମାପଦଣ୍ଡ ଅନୁସାରେ ଦାରିଦ୍ର୍ୟ ହାର ମପା ହେଉଥିଲା। ତେନ୍ଦୁଲକର କମିଟିର ଶେଷ ରିପୋର୍ଟ ଅନୁସାରେ ଭାରତର ଦାରିଦ୍ର୍ୟ ହାର ୨୧.୯% ଓ ଗରିବ ଲୋକଙ୍କ ସଂଖ୍ୟା ୨୬.୯୮ କୋଟି ଥିଲା। କିନ୍ତୁ ସି ରଙ୍ଗରାଜନ କମିଟି ୨୦୧୪ରେ ଦେଇଥିବା ରିପୋର୍ଟରେ ଜଣାଇଥିଲା ଯେ ଦେଶର ଦାରିଦ୍ର୍ୟ ହାର ୨୯.୬%କୁ ଓ ଗରିବ ଲୋକଙ୍କ ସଂଖ୍ୟା ୩୬.୩ କୋଟିକୁ ବୃଦ୍ଧି ପାଇଛି। ସେହି ରିପୋର୍ଟକୁ ସରକାର ପ୍ରତ୍ୟାଖ୍ୟାନ କରିଦେବା ସହ ‘ଦାରିଦ୍ର୍ୟ ସୀମା ରେଖା ତଳେ’ ଗଣନା ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରିଦେଇଥିଲେ।
22/02/2020