ପଞ୍ଜାବ ସରକାର ନିଜର ସରକାରୀ ସ୍କୁଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ମନ୍ତ୍ରିମଣ୍ଡଳ ଯୁବପିଢିକୁ ସ୍ମାର୍ଟଫୋନ ବାଣ୍ଟିବା ନିଷ୍ପତ୍ତିକୁ ମୋହର ମାରିଛି।ଏହି କ୍ରମରେ ଚଳିତ ବର୍ଷ ଡିସେମ୍ବର ମାସରେ ସ୍ମାର୍ଟଫୋନ ବାଣ୍ଟିବା ଯୋଜନା ଆରମ୍ଭ ହେବ। ପ୍ରଥମ ଚରଣରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ ବଣ୍ଟାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଯେଉଁ ଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ନାହିଁ, ସେମାନଙ୍କୁ ସ୍ମାର୍ଟଫୋନ ଦିଆଯିବ। ପ୍ରକାଶଯୋଗ୍ୟ ଯେ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ମାଗଣାରେ ସ୍ମାର୍ଟଫୋନ ବାଣ୍ଟିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ୧୮ରୁ ୩୫ବର୍ଷର ଯୁବକଙ୍କୁ ମାଗଣାରେ ସ୍ମାର୍ଟଫୋନ ଦିଆଯିବ। ଏଥିପାଇଁ କଂଗ୍ରେସ ନିର୍ବାଚନ ସମୟରେ ଯୁବକଙ୍କ ପଞ୍ଜିକରଣ ମଧ୍ୟ କରିଥିଲା। ପଟିୟାଲା, ଲୁଧିଆନା, ଅମୃତସର ଏବଂ ଭତିଣ୍ଡା ଜିଲାରେ ବହୁ ସଂଖ୍ୟାର ଯୁବକ ଓ ଯୁବତୀ କଂଗ୍ରେସ ନିକଟରେ ନିଜ ନାମ ପଞ୍ଜିକରଣ କରିଥିଲେ।ମାଗଣାରେ ବାଣ୍ଟିବା କ୍ଷେତ୍ର ରେ କଂଗ୍ରେସ କିଛି ପଛରେ ନାହିଁ । ଅତୀତରେ ବିଭିନ୍ନ ରାଜ୍ୟରେ ଥିବା କଂଗ୍ରେସ ସରକାର ମାଗଣା ବାଣ୍ଟିବାର ପ୍ରଲୋଭନ କୁ ନିର୍ବାଚନ ପ୍ରଚାର ରେ ଆୟୁଧ କରିଥିଲା।ଯୁବ ପିଢିଙ୍କ ମଧ୍ୟରୁ ନିଶା ନିବାରଣ କ୍ଷେତ୍ର ରେ ପଛରେ ପଡିଥିବା ପଞ୍ଜାବ ନିଶା ନିବାରଣ ରେ ଅର୍ଥ ଖର୍ଚ୍ଚ ନ କରି କ୍ଷମତା ପାଇଁ ମୋବାଇଲି ବାଣ୍ଟିବା ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି।
20/09/2019