Bikash Khabar
ଡଙ୍ଗାରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସୁରକ୍ଷା ପ୍ରାଚୀରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଦୀର୍ଘ ୫ ବର୍ଷ ହେବ କାମ ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଫଳରେ ଏବେ ଘର ଭିତରେ ଜୁଆର ପାଣି ପଶିବା ସହ ଗାଁ ଦାଣ୍ତ ଜଳାର୍ଣ୍ଣବ ହୋଇଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗାଁ ଦାଣ୍ଡରେ ଡଙ୍ଗା ଯୋଗେ ଯିବା ଆସିବା କରୁଛନ୍ତି। କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।ବର ନେବାରେ ଜଣାପଡ଼ିଛି, ୨୦୧୩ ମସିହା ଫାଇଲିନ୍‌ ବାତ୍ୟାରେ ଅରଖକୁଦା ଗାଁ ଭିତରେ ଜୁଆର ପାଣି ପଶି ତାଣ୍ତବ ରଚିଥିଲା। ସେହିଭଳି ଏହି ବ୍ଲକ୍‌ର ସାନପାଟଣା ଗାଁରେ ମଧ୍ୟ ଜୁଆର ପଶିଥିଲା। ଏହି ଦୁଇଟି ଗାଁର ଜନବସତିକୁ ଜୁଆର ଚିଲିକା ଭିତରକୁ ଟାଣି ନେଇଥିଲା। ବହୁ ଲୋକ ବାସହରା ହୋଇଯାଇଥିଲେ। ସେଥିପାଇଁ କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ାଠାରୁ ବ୍ରହ୍ମଗିରି ବ୍ଲକ୍ ମୋଟ ଗାଁ ପର୍ଯ୍ୟନ୍ତ ଦୀର୍ଘ ୨୬ କିଲୋମିଟର ଉପକୂଳ ଜନବସତିକୁ ସୁରକ୍ଷା ଦେବାକୁ ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ୨୦୧୪ ମସିହାରେ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ଏହାରି ଭିତରେ ୫ ବର୍ଷ ବିତି ଯାଇଥିଲେ ବି ଉପକୂଳ ସୁରକ୍ଷା ପ୍ରାଚୀର ମାତ୍ର ୪ କିଲୋମିଟର ଶେଷ ହୋଇଛି। ପ୍ରଶାସନର ଅବହେଳା ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁ ନାହିଁ।

04/10/2019

Leave a Reply

Your email address will not be published. Required fields are marked *

Comments