ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା । ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ ପରିଚୟ ପାଇପାରିବ । ଲହୁଣିପଡ଼ା ବ୍ଲକର ଖୁଣ୍ଟଗାଁଠାରେ ହେବାକୁ ଥିବା ଟସର ସିଲ୍କ ପାର୍କ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବାକୁ ଯାଉଛି । ଜିଲ୍ଲା ପ୍ରଶାସନ ଉଦ୍ୟମରେ ଖୁଣ୍ଟଗାଁରେ ୫ ଏକର ଜମିରେ ଏହି ‘ ସିଲ୍କ ପାର୍କ’ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ । ୨୦୨୧ ସୁଦ୍ଧା ସୁନ୍ଦରଗଡ଼ରେ ପୂର୍ଣ୍ଣାଙ୍ଗ ‘ଟସର ସିଲ୍କ ପାର୍କ’ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । “ଟସର ଉତ୍ପାଦନ ବୃଦ୍ଧି ସହିତ ଏଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ କିପରି ପ୍ରସ୍ତୁତ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ଥିବା ୯ଟି ଟସର ଚାଷୀ ସମବାୟ ସମିତି ବା ଟିଆର୍ସିଏସ୍କୁ ନେଇ ଖୁଣ୍ଟଗାଁଠାରେ ଟସର ସିଲ୍କ ପାର୍କ ନିର୍ମାଣ ହେବାକୁ ଯାଉଛି । ସିଲ୍କ ପାର୍କ କାର୍ଯ୍ୟକ୍ଷମ ହେଲେ ଏହି ଚାଷ ସହିତ ସଂପୃକ୍ତ ହିତାଧିକାରୀଙ୍କ ଜୀବିକାକୁ ସୁନିଶ୍ଚିତ କରାଯିବା ସହ ‘ସୁନ୍ଦରଗଡ଼ ଟସର’ ବ୍ରାଣ୍ଡକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ସମ୍ଭବପର ହୋଇପାରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ।ଏହି ସିଲ୍କ ପାର୍କରେ ନର୍ସରୀ, ଗୋଦାମ ଘର, ତାଲିମ ଓ ଉତ୍ପାଦନ କେନ୍ଦ୍ର ରହିବ । ତା’ ସହିତ ସେଠାରେ ବିଭିନ୍ନ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଜିଲ୍ଲାର ଟସର ଚାଷୀ ଏବଂ ମହିଳା ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ଏହା ସହ ଯୋଡ଼ାଯିବ । ଟସର ଖୋସାରୁ ସୂତା ଏବଂ ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କରିବା ଲାଗି ଅତ୍ୟାଧୁନିକ ମେସିନ ରହିବ ।
21/11/2020