ଆଜି ମେ ମାସ ୧୨ ତାରିଖ ସାରା ଦେଶ ପାଳନ କରୁଛି ନର୍ସ ଦିବସ । ଏହି ଦିନ ଟି ଆସିଗଲେ ନର୍ସ ମାନଙ୍କ ଅବଦାନ କୁ ସ୍ମରଣ କରାଯାଏ । କିନ୍ତୁ ସେମାନେ ହିଁ ରୋଗୀର ଅଧା ବେଦନା ଦୂର କରିଥାନ୍ତି ନିଜର ଆପଣାର ପଣରେ। କିମ୍ସରେ ସେବିକା ଭାବେ କାର୍ଯ୍ୟରତ ସଂଘମିତ୍ରା ରାଉତ କହିଛନ୍ତି, କେବେ କେମିତି ଦିବସ ଆସିଲେ ଆମମାନଙ୍କ ଅବଦାନ କଥା ମନେ ପଡ଼େ। ତେବେ ଏହାର କୌଣସି ଆବଶ୍ୟକତା ନାହିଁ। କାରଣ ମୋ ଇଚ୍ଛାରେ ମୁଁ ଏ ସେବାକୁ ନିଜେ ବାଛି ନେଇଥିଲି। ରୋଗୀଟିଏ ହସ୍ପିଟାଲ୍କୁ ଆସିଲେ, ତାକୁ ପ୍ରଥମେ ନିଜର ଲୋକଟିଏ ଭଳି ଆପଣାଇବାକୁ ପଡ଼େ। ଏହି ଆପଣାପଣ ହିଁ ରୋଗୀକୁ ମାନସିକସ୍ତରରେ ଦୃଢ଼ କରିଦିଏ। ଯେତେବେଳେ ରୋଗୀଟିଏ ସୁସ୍ଥ ହେଇ ଘରକୁ ଫେରେ, ସେତେବେଳେ ସେମାନଙ୍କ ଆଖିରେ ଆନନ୍ଦ ଦେଖିଲେ ପେଟ ପୂରିଯାଏ। ଏହା ହିଁ ତ ଜଣେ ସେବିକାର ସାର୍ଥକତା। ସେବିକା ଭାବେ କାର୍ଯ୍ୟରତ ସୁପ୍ରଭା ଶତପଥୀଙ୍କ କହିବା ମୁତାବକ, ଏହି ସେବାରେ ସବୁବେଳେ ଆହ୍ବାନ ଭରି ରହିଥାଏ। ଟିକେ ଅସାବଧାନ ହେଲେ ବଡ଼ ସମସ୍ୟା ମୁଣ୍ଡ ଟେକେ। ମାତ୍ର ରୋଗୀଟିଏ ଭଲ ହେଇଗଲେ ସବୁ ପ୍ରଶଂସା ଡାକ୍ତରଙ୍କ ଆଡ଼କୁ ଚାଲିଯାଏ। ଯିବା ସ୍ବାଭାବିକ। ମାତ୍ର ଦୁଃଖ ଲାଗେ, ବେଳେବେଳେ ଅନେକେ ନର୍ସଙ୍କ ସେବାର ଗୁରୁତ୍ବକୁ ବୁଝନ୍ତି ନାହିଁ। ହେଲେ ଏମିତି ବି ରୋଗୀ ଆସନ୍ତି, ଯେଉଁମାନେ ମେଡିକାଲ୍ର ସ୍ବଳ୍ପ ରହଣି ମଧ୍ୟରେ ସେମାନଙ୍କ ସହ ଆଉ ଏକ ପାରିବାରିକ ସମ୍ପର୍କ ଗଢ଼ି ଉଠେ। ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ବେଳେ ଅନେକ ଆହ୍ବାନ ଥାଏ। ନିଜ ଶରୀର ପ୍ରତି ବିପଦ ଥାଏ। ଏସବୁ ସତ୍ତ୍ବେ ସଂକଳ୍ପଟିଏ ମନେ ପଡ଼ିଯାଏ। ହସ୍ପିଟାଲ୍କୁ ଆସିବା ବେଳେ ରୋଗୀଟିଏ ଯେମିତି ଯନ୍ତ୍ରଣା ଜର୍ଜରିତ ମୁହଁରେ ଆସିଥିଲା, ଅନ୍ତତଃ ଗଲାବେଳେ ଏଠୁ ହସହସ ମୁହଁରେ ଫେରିଯାଉ…
12/05/2020