ସମୟ ଥିଲା ଭାରତ ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକତାର ଦିଗ୍ଦର୍ଶନ ଦେଉଥିଲା, ବଞ୍ଚିବାର କଳା ଶିଖାଉଥିଲା। ଦୁର୍ଭାଗ୍ୟର କଥା; ଆଜି ସେହି ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢି ଚାଲିଛି। ପ୍ରତିବର୍ଷ ପରିସଂଖ୍ୟାନକୁ ସମୀକ୍ଷା କଲେ ଯୁବରାଷ୍ଟ୍ର ଭାରତ ଏବେ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି। ପ୍ରତି ୪୦ ସେକେଣ୍ଡ ବ୍ୟବଧାନରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୦ ମସିହା ବେଳକୁ ଏହି ବ୍ୟବଧାନ ପ୍ରତି ୨୦ ସେକେଣ୍ଡରେ ଗୋଟିଏ ଜୀବନ ଦୀପ ଲିଭୁଥିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଲାଣି। ତଥ୍ୟ ଅନୁଯାୟୀ, ପୃଥିବୀରେ ବର୍ଷକୁ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବାବେଳେ ଭାରତରେ ଏଇ ସଂଖ୍ୟା ୨ ଲକ୍ଷରୁ ଅଧିକ।ଉଦ୍ବେଗଜନିତ ତଥ୍ୟ ହେଉଛି ପ୍ରତିବର୍ଷ ଭାରତରେ ଏହି ପ୍ରତିଶତ ବଢୁଛି । ଦୈନିକ ଓଡ଼ିଶାରେ ମଧ୍ୟ ଏକାଧିକ ଆତ୍ମହତ୍ୟା ଘଟୁଥିବା ଆମେ ଜାଣିବାକୁ ପାଉଛେ। ବଡ଼ କଥାଟି ହେଲା ୧୫-୨୯ ଓ ୧୫-୩୯ ବର୍ଷ ବୟସ୍କ ଯୁବକ-ଯୁବତୀ ଆତ୍ମହତ୍ୟା ଭଳି ଘୃଣିତ ତଥା ଚରମ ନିଷ୍ପତ୍ତି ନେଇ ଜୀବନ ହାରିବା । କିଏ ପରୀକ୍ଷାରେ ବିଫଳ ତ’ ଆଉ କେହି ପ୍ରେମରେ ପ୍ରତାରିତ, ଚାଷ ଉଜୁଡିବାଠାରୁ ଦାମ୍ପତ୍ୟ କଳହ ଭଳି ଘଟଣା ଆତ୍ମହତ୍ୟାର କାରଣ ପାଲଟିଛି। ଏସବୁ ପଛରେ ରହିଛି ମାନସିକ ବିଷାଦ ତଥା ଡିପ୍ରେସନ୍। ମଣିଷ ନିଜ ଜୀବନରେ ସୁଖ, ଦୁଃଖ, ଚାପ ତଥା ଏକୁଟିଆପଣ ଅନୁଭବ କରିଥାଏ। ତେବେ ମସ୍ତିଷ୍କ ଏଇ ସବୁ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଈଶ୍ବର ମଣିଷକୁ ଦେଇଛନ୍ତି ଧୈର୍ଯ୍ୟ ଓ ଲଢିବାର ଶକ୍ତି; ମାତ୍ର କ୍ଷଣିକ ବିଷାଦ ଓ ଚାପକୁ ସହ୍ୟ ନ କରି ବ୍ୟକ୍ତିଟି ଆତ୍ମହତ୍ୟା କରିବା ଦୁର୍ଭାଗ୍ୟଜନକ। ଚାପ ତଥା ବିଷାଦ ହେଉଛି ଏକ ଯନ୍ତା। ଏଇ ଯନ୍ତା ଭିତରେ ଚାପଗ୍ରସ୍ତ ବ୍ୟକ୍ତିଟି ରହି ନିଜକୁ ବାହାର ଦୁନିଆଠାରୁ ଅଲଗା ଦେଖେ। ଅନ୍ୟମାନଙ୍କୁ ଖୁସି ଦେଖୁଥିବାବେଳେ ନିଜକୁ ବିଷାଦରେ ବୁଡାଇ ରଖିଥାଏ। ତାକୁ ଲାଗେ ତା’ ଜୀବନର ମୂଲ୍ୟ କିଛି ନାହିଁ। ଏଭଳି ମାନସିକତା ତାକୁ ଆତ୍ମହତ୍ୟା ଆଡ଼କୁ ବାଟ କଢାଇ ନିଏ । ଏକଥା ସତ ଯେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ରେ ଆମର ଉତ୍ଥାନ ହୋଇଛି ; ମାତ୍ର ବିଶ୍ବ ହାପିନେସ୍ ଇଣ୍ଡେକ୍ସ(ଆନନ୍ଦ/ଖୁସି ସୂଚକାଙ୍କ)ରେ ଆମର ସ୍ଥିତି ଆଜି ୧୪୦ ତମ ସ୍ଥାନରେ। ଆମ ଯୁବପିଢି ଭୌତିକ ସଫଳତା ନିଶାରେ ଏତେ ବ୍ୟସ୍ତ ଓ ବିବ୍ରତ ଯେ, ଜୀବନର ମୂଳଲକ୍ଷ୍ୟ ଖୁସି ରହିବାକୁ ଆମେ ପୂରାପୂରି ଅଣଦେଖା କରୁଛେ। ଭାରତରେ ପ୍ରତିଭାର ଅଭାବ ନାହିଁ; ବରଂ ଖୁସି ରହିବାର ଅଭାବପଣ ଦେଖାଯାଉଛି।
10/10/2019