Bikash Khabar
ଉପେକ୍ଷିତ କେନ୍ଦୁଝର ର ହଳଦୀ ଚାଷୀ

ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା ଦେଇ ନାହିଁ କିମ୍ବା ପ୍ରୋତ୍ସାହନ ଦେଉନାହାନ୍ତି। ଆଉ ଟିକେ ସୁବିଧା ମିଳିଲେ ଏବଂ ହଳଦୀ ବିକିବା ସୁବିଧା ହେଲେ ଅଧିକ ଚାଷ କରି ପାରନ୍ତୁ ଏବଂ ବହୁ ଲୋକ ଉପକୃତ ହୋଇ ପାରନ୍ତେ। ଏଭଳି କହିଛନ୍ତି ବାଂଶପାଳ ବ୍ଲକର କାଞ୍ଜିପାଣି, ବାୟାପଣ୍ଡାଧାର, ବାୟାକୁମୁଟିଆ ଆଦି ଅଞ୍ଚଳରେ ହଳଦୀ ଚାଷ କରି ଜୀବିକା ନିର୍ବାହ କରୁଥିବା ମହିଳା ଆଦିବାସୀ ଚାଷୀ। କୌଣସି ସୁବିଧା ଥିବାରୁ ଏହି ମହିଳା ଚାଷୀମାନେ ବାଧ୍ୟ ହୋଇ ବୋଝ, ବସ୍ତାରେ ବୋହି ଦୀର୍ଘ ୨୦ କି.ମି. ଦୂର ଜିଲା ମୁଖ୍ୟାଳୟକୁ ବିକିବାକୁ ଆସୁଛନ୍ତି। ଜିଲା ମୁଖ୍ୟାଳୟ ବ୍ୟତୀତ ଜାତୀୟ ରାଜପଥ କଡରେ, ହାଟବଜାରରେ ହଳଦୀ ବିକି ଯାହା ମିଳେ ସେଥିରେ ତେଲଲୁଣ କିଣି ଫେରନ୍ତି। ଏହି ଅଞ୍ଚଳରେ ଆଦିବାସୀ ମହିଳାମାନେ ଏହି ଚାଷ କରିଥାନ୍ତି। ସେମାନଙ୍କୁ ନା ମିଳୁଛି ବିହନ ନା ମିଳୁଛି ସାର। ନା ମିଳୁଛି ଚାଷ ପ୍ରଣାଳୀ ସମ୍ପର୍କରେ ସୂଚନା। ଏଣୁ ନିଜ ଉଦ୍ୟମରେ ସେମାନେ ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ଏହି ଚାଷ ପ୍ରତି ଆଦିବାସୀ ବିଶେଷ କରି ମହିଳାମାନଙ୍କ ଆଗ୍ରହ ଏବଂ ଏଥିପାଇଁ ଭିତ୍ତିଭୂମି ଅଛି କିନ୍ତୁ ପ୍ରୋତ୍ସାହନ ମିଳୁ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ସ୍ବାମୀକୁ ହରାଇ ଏଭଳି ବାୟାକୁମୁଟିଆ ଗ୍ରାମ କୁନ୍ତଲି ଠାକୁର ମୂଲ ମଜୁରି ସହିତ ବାଡିରେ ହଳଦୀ ଚାଷ କରି ପରିବାରରେ ସନ୍ତାନକୁ ଚଳାଉଥିବା କୁହନ୍ତି। ତାଙ୍କ ଗ୍ରାମରେ ଗୋଲାପ ନାଏକ, ବାହାନୀ ସନଗୀ, ମାଳତୀ ଠାକୁରଙ୍କ ଭଳି ୨୫/୩୦ ଘରର ମହିଳାମାନେ ଅଳ୍ପ ବହୁତ ବାଡିରେ ହଳଦୀ ଚାଷ କରିଥିବା କୁନ୍ତଲି କୁହନ୍ତି। ସରକାରୀ ସୁବିଧା ସେ ଅଞ୍ଚଳରେ ଅପହଞ୍ଚ। କାମଧନ୍ଦା ଲୋକଙ୍କୁ ମିଳୁନାହିଁ। ଏଣୁ ଅନେକେ ବାହାରକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ବେଳେ ଏଭଳି ବହୁ ମହିଳାମାନେ ବାଡ଼ିବଗିଚାରେ ଚାଷ କରି ପେଟପୋଷୁଥିବା ସ୍ଥାନୀୟ ଲୋକେ କୁହନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ହଳଦୀ ଚାଷ ପାଇଁ ଅଧିକ ସମୟ ଦେବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡି ଥାଏ।

07/01/2020

Leave a Reply

Your email address will not be published. Required fields are marked *

Comments