Bikash Khabar
ଆଇଡ଼ିଏ ର ରୌପ୍ୟ ଜୟନ୍ତୀ ସମାରୋହ : ଇଚ୍ଛାଶକ୍ତି ଓ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହେଲେ ବିକାଶ ସମ୍ଭବ

 କେନ୍ଦୁଝର, ଜାନୁଆରୀ ୨୬ : ବିଜ୍ଞାନାଗାରର ଗବେଷଣା ଏବେ ଗାଁ କୁ ପହଂଚିବାରେ ଲାଗିଛି । ଜ୍ଞାନ ସହିତ ସୂଚନା ପହଂଚୁଥିବାରୁ ଗ୍ରାମ ବିକାଶରେ ଦ୍ରୃତ ପରିବର୍ତ୍ତନ ଘଟିବାରେ ଲାଗିଛି । ସାମାଜିକ ସଂଗଠନ, ସରକାର ଓ ସାଧାରଣ ଜନଗଣଙ୍କ ବିକାଶରେ ଅଧିକ ସଂପୃକ୍ତି, ଇଚ୍ଛାଶକ୍ତି ଓ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଘଟିଲେ ଗାଁ ଗରିବଙ୍କ ବିକାଶ ଘଟିବ ଓ ଚିରନ୍ତନ ବିକାଶ ଲକ୍ଷ୍ୟ ସାଧିତ ହେବ ବୋଲି ଆଇଡ଼ିଆଲ ଡ଼େଭଲପମେଣ୍ଟ ଏଜେନ୍ସି (ଆଇଡ଼ିଏ)ର ରୌପ୍ୟ ଜୟନ୍ତୀ ସମାରୋହର ଅତିଥିମାନେ ମତ ପ୍ରକାଶ କରିଛନ୍ତି । 

ସଂଗଠନର ମୁଖ୍ୟ ସେବତୀ ସିଂହ ରୌପ୍ୟ ଜୟନ୍ତୀ ସମାରୋହ ମଂଚକୁ ଅତିଥିମାନଙ୍କୁ ସ୍ୱାଗତ କରି ସଂଗଠନର ପଚିଶ ବର୍ଷର ସ୍ୱପ୍ନ ସଂକଳ୍ପ, ସଂଘର୍ଷର ସ୍ମୃତିଚାରଣା କରିଥିଲେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ରିମୋଟ ସେନ୍ ସିଂ ବିଭାଗୀୟ ମୁଖ୍ୟ ସରୋଜ ବନ୍ଧୁ ଚୌଧୁରୀ ମହାକାଶ ଗବେଷଣା ସଂସ୍ଥା ଜରିଆରେ କିଭଳି ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମ କରାଯାଉଛି ତାର ସୂଚନା ପ୍ରଦାନ କରିଥିଲେ । ଭୁବନେଶ୍ୱର ଆଇଆଇଟିର ଆସୋସିଏଟ ପ୍ରଫେସର ଦେବବତ୍ତ ସ୍ୱାଇଁ ପ୍ରାକୃତିକ ସମ୍ବଳ ବିଶେଷ କରି ପାନୀୟ ଜଳର ସୁରକ୍ଷା ଓ ସଂରକ୍ଷଣ ଦିଗରେ ବିଜ୍ଞାନର ଭୂମିକାକୁ ସ୍ପଷ୍ଟ କରିଥିଲେ । କେନ୍ଦୁଝର ପ୍ରେସ କ୍ଲବ ସଭାପତି ଧୀରେନ୍ଦ୍ର ରାଉତ, ସାମ୍ବାଦିକ ଦିଲ୍ଲୀପ ସୁବୁଦ୍ଧି, ଡକ୍ଟର ବିମ୍ବାଧର ବେହେରା, ଆଇଡ଼ିଏର ସଭାପତି କିଶୋର ଚନ୍ଦ୍ର ସାହୁ ପ୍ରମୁଖ ୨୦୩୦ ସୁଦ୍ଧା ହାସଲ କରାଯିବାକୁ ଥିବା ଚିରନ୍ତନ ବିକାଶ ଲକ୍ଷ୍ୟର ୧୭ଟି ପ୍ରମୁଖ ଲକ୍ଷ୍ୟ ଉପରେ ଆଲୋକପାତ କରାଇଥିଲେ । ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧା ବିମୋଚନ, ସୁ-ସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ଲିଙ୍ଗୀୟ ସମାନତାକୁ ନେଇ ଆଇଡ଼ିଏର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ଉକୃଷ୍ଟ ସମାଜସେବା ପାଇଁ ସୁଲୋଚନା ବେହେରା, ରାଜେଶ ସେଠୀ, ବିମ୍ବାଧର ବେହେରା ଓ କିଶୋର ଚନ୍ଦ୍ର ସାହୁଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା ।

ବନାଯୋଡ଼ି ସ୍ଥିତ  ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ପରିସରରେ  ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହରେ ନିମତି ଫାଉଣ୍ଡେସନ, କୀର୍ତ୍ତି, ୱେସକା , ଆରଭିଡ଼ିଓ ଏବଂ କର୍ତ୍ତବ୍ୟ ସଂଗଠନର ପ୍ରତିନିଧିଙ୍କ ସମେତ ବହୁ ଗ୍ରାମବାସୀ ସାମାଜିକ ସଂଗଠନ, ଛାତ୍ରଛାତ୍ରୀ ଗବେଷକ ଓ ସରକାରୀ ଅଧିକାରୀମାନେ ଯୋଗ ଦେଇଥିଲେ । କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

26/01/2018

Leave a Reply

Your email address will not be published. Required fields are marked *

Comments