Bikash Khabar
ତପ୍ତ ପାଣିର ତାତି କମିଲା, ପ୍ରଶାସନକୁ ଭେଟିଲା ଉନ୍ନୟନ କମି

 ଛତ୍ରପୁର,ଜାନୁଆରୀ ୨୦: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଉଷ୍ଣ ପ୍ରସ୍ରବଣ ତପ୍ତପାଣିରେ ପାଣିର ଗରମ ଦିନକୁ ଦିନ ହ୍ରାସ ପାଇଲାଣି । ଏହାର ପ୍ରଭାବ ପର୍ଯ୍ୟଟକ ସମାଗମ ଉପରେ ପଡ଼ିଛି । ଏଠାରୁ ବାହାରୁଥିବା ଫୁଟନ୍ତା ପାଣିର ଆକର୍ଷଣ ପାଇଁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । କିନ୍ତୁ ଏବେ ପାଣିର ଗରମ କମୁଥିବାରୁ ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଏନେଇ ତପ୍ତପାଣି ଉନ୍ନୟନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଛତ୍ରପୁର ଆସି ଜିଲ୍ଲାପାଳ ଅନୁପସ୍ଥିତିରେ ଉପଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

କିଛି ଦିନ ତଳେ ସ୍ଥାନୀୟ ଏକ ହନୁମାନ ମନ୍ଦିର ନିକଟରେ ଏକ ନଳକୂପ ଖୋଳାଯାଉଥିଲା । ୨୦୦ ଫୁଟ ଖୋଳାଯିବା ପରେ ସେଥିରୁ ପ୍ରବଳ ଗରମ ପାଣି ବାହାରିଥିଲା । ଉତ୍ତପ୍ତ ପାଣିର ଫୁଆରା ଦେଖି ଲୋକେ ତୁରନ୍ତ ନଳକୂପ ଖୋଳା ବନ୍ଦ କରି ଗର୍ତ୍ତ ମୁହଁକୁ ବାଲିଗୋଡ଼ି ସିମେଣ୍ଟରେ ବନ୍ଦ କରାଇଥିଲେ । କିନ୍ତୁ ସେଠାରେ ଥିବା ଏକ ପଥର ତଳୁ ଗରମ ପାଣିର ସ୍ରୋତ ଛୁଟିଥିଲା । ଏବେ ସେଠାରେ ପୂଜାର୍ଚ୍ଚନା ଚାଲିଛି । ଏଣେ ତପ୍ତପାଣିରେ ପ୍ରାୟ ୧ ଫୁଟ ପାଣି କମିଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ସିଧା ପାନ୍ଥନିବାସର ସ୍ନାନାଗାରକୁ ଯୋଗାଇ ଦିଆଯାଉଥିବା ଗରମ ପାଣି ବନ୍ଦ କରିଦିଆଯାଇଛି । ଉଷ୍ମ ପ୍ରସ୍ରବଣ ପାଇଁ ପ୍ରସିଦ୍ଧ ତପ୍ତପାଣିର ତାତି କମିଯାଇଥିବା ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ପ୍ରଶ୍ନ ଉଙ୍କିମାରିବାରେ ଲାଗିଛି । 

20/01/2018

Leave a Reply

Your email address will not be published. Required fields are marked *

Comments