Bikash Khabar
ବଣ୍ଡାଘାଟିର ରୋଗୀଙ୍କୁ ବୋହିବା ପାଇଁ ଚାରି କାନ୍ଧ ଭରସା

 ମାଲକାନଗିରି, ଜାନୁଆରୀ ୨୧ : ଆଦିମ ଜନଜାତି ବଣ୍ଡାଙ୍କ ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ବର୍ଷ ବର୍ଷ ଧରି ପ୍ରଚାର ଚାଲିଛି ହେଲେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ସଡ଼କଟିଏ ହୋଇ ପାରୁନଥିବାରୁ ଖଇରପୁଟ ବ୍ଲକ ମୁଦୁଲିପଡ଼ା ଅଂଚଳର ରୋଗୀଙ୍କୁ କାନ୍ଧରେ ବୋହି ଅଣାଯିବା ଦୃଶ୍ୟ ନିୟମିତ ଦେଖିବାକୁ ମିଳିଛି ।

କିଚପଡ଼ା ଗ୍ରାମର ୧୪ ବର୍ଷର ସନିଆ ଶିଶା ଅଜଣା ରୋଗରେ ପୀଡ଼ିତ ଥିଲେ । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ମେଡ଼ିକାଲ ନେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସର ଆଶା ଛାଡ଼ି ଦେଇଥିବା ଗ୍ରାମବାସୀମାନେ ସନିଆ ଶିଶାଙ୍କୁ ବାଉଁଶ ତିଆରି ହାତ ତିଆରି ଷ୍ଟ୍ରେଚର ତିଆରି କରି ସେଥିରେ ବୋହି ୧୪ କିମି ରାସ୍ତା ମେଡ଼ିକାଲକୁ ଆଣିଥିଲେ । ଦୁଇଟି ବାଉଁଶକୁ ବାନ୍ଧି ତା ଉପରେ ଚଦର ପକାଇ ଶାଢିର ଆବରଣ ଢାଙ୍କି କାନ୍ଧରେ ବୋହି ଆଣିବା ଦୃଶ୍ୟ ଦେଖିବାକୁ ମିଳିଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ନିୟମିତ ଭାବେ ଏଭଳି ଦୃଶ୍ୟ ଏହି ଅଂଚଳରେ ଦେଖିବାକୁ ମିଳିଥାଏ ।

ପ୍ରଶାସନିକ ଅଧିକାରୀମାନେ ନକ୍ସଲ ଉପଦୃତ ଅଂଚଳ କହି ବିକାଶମୂଳକ କାର୍ଯ୍ୟକ୍ରମରୁ ଦୂରେଇ ଯାଉଛନ୍ତି । ଗାଁ ରେ ଅଧିକାରୀଙ୍କ ପାଦ ପଡ଼ୁନି । ଆଦିମ ବିପଦ ସଙ୍କୁଳ ଜନଜାତି ବଣ୍ଡା ସଂପ୍ରଦାୟର ବସତି ଥିବା ଗାଁ ଗୁଡ଼ିକରେ ଲୋକଙ୍କ ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷା ଓ ଜୀବିକାକୁ ନେଇ ଏଭଳି ବହୁ ସମସ୍ୟା ସୃଷ୍ଟି ହୋଇଛି ସେମାନଙ୍କୁ ପ୍ରଶାସନ ନିଯ୍ୟାତନା ଭୋଗିବାକୁ ଛାଡ଼ି ଦେଇଥିବା ପରି ମନେ ହେଉଛି । 

21/01/2018

Leave a Reply

Your email address will not be published. Required fields are marked *

Comments